ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ

ଓଡ଼ିଶାରାଜନୀତି

ଭୁବନେଶ୍ୱର (ନବ୍ୟୁ): ୨୦୧୯ ସାଧାରଣ ନିର୍ବାଚନରେ ବହୁ ତୁଙ୍ଗ ନେତା ଚିତ୍ ପଟାଙ୍ଗ । ପ୍ରମୁଖ ତିନି ଦଳର ହେଭିୱେଟ୍ ନେତା ପରାଜୟର ସ୍ୱାଦ ଚାଖିଲେ । ଘଷୀପୁରା ଓ ଭଣ୍ଡାରୀପୋଖରୀ ଉଭୟ ବିଧାନସଭା ଆସନରୁ ହାରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେହିପରି ଜଗତସିିଂହପୁରରୁ ଚିରଂଜୀବ ବିଶ୍ୱାଳ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା, ସୁକିନ୍ଦାରୁ ଶରତ ରାଉତ, ଆନନ୍ଦପୁରୁରୁ ଜୟଦେବ ଜେନା ଓ ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ ହାରିଛନ୍ତି । ଲୋକସଭାରେ ବରିଷ୍ଠ ନେତା ଭକ୍ତ ଦାସ କଳାହାଣ୍ଡି ଆସନରୁ ହାରିଥିବା ବେଳେ ପ୍ରଦୀପ ମାଝୀ ନବରଂଗପୁରରୁ ପରାସ୍ତ ହୋଇଛନ୍ତି । ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ, ସମ୍ବଲପୁରରୁ ଶରତ ପଟ୍ଟନାୟକ ଓ କେନ୍ଦ୍ରାପଡାରୁ ଧରଣୀଧର ନାୟକ ପରାଜୟ ହୋଇଛନ୍ତି । ସେପଟେ ପାଟଣାଗଡରୁ ୫ ଥର ବିଧାୟକ ହୋଇଥିବା କନକ ବର୍ଦ୍ଦନ ସିଂହଦେଓ ଏଥର ବିଜେଡିର କନିଷ୍ଠ ପ୍ରାର୍ଥୀ ସରୋଜ ମହେରଙ୍କଠାରୁ ହାରି ଯାଇଛନ୍ତି । ଏରସମା ବାଲିକୁଦାରୁ ଦାମ ରାଉତ, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ଚାନ୍ଦବାଲିରୁ ମନମୋହନ ସାମଲ ପରାସ୍ତ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା, କଟକରୁ ପ୍ରକାଶ ମିଶ୍ର, କନ୍ଧମାଳରୁ ଖାରବେଳ ସ୍ୱାଇଁ ଓ ପୁରୀରୁ ସମ୍ବିତ ପାତ୍ରଙ୍କୁ ନିରାଶ ହେବାକୁ ପଡିଛି । ସେପଟେ ବିଜେଡିର ତୁଙ୍ଗନେତାମାନେ ବି ଏଥର ଜିତିବାରେ ବିଫଳ ହୋଇଛନ୍ତି । ବାରବାଟୀ-କଟକରୁ ଦେବାଶିଷ ସାମନ୍ତରାୟ, ପୁୁରୀରୁ ମହେଶ୍ୱର ମହାନ୍ତି, ବ୍ରହ୍ମଗିରିରୁ ସଂଜୟ ଦାଶବର୍ମା ପରାଜୟର ସ୍ୱାଦ ଚାଖିଛନ୍ତି । ସେହିପରି ଲୋକସଭାରେ ବଲାଙ୍ଗିରରୁ ୨ ଥର ଜିତିଥିବା କଳିକେଶ ନାରାୟଣ ସିିଂହଦେଓ ଏଥର ହାରିଛନ୍ତି । ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ ଓ ଜୟପୁରରୁ ରବି ନନ୍ଦ ପରାସ୍ତ ହୋଇଛନ୍ତି ।