ନବନୀତା ବ୍ୟୁରୋ। କଟକର ହେବ ନବକଳେବର। ସିଲଭର୍ ସିଟି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ଦିନିକିଆ କଟକ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ହାଡିଆପଠାର ଅନୁଧ୍ୟାନ ସମୟରେ ରିଂ ରୋଡ ୬ ଲେନ ବିଶିଷ୍ଟ କରାଯିବା ସହ ମାର୍ଚ୍ଚରୁ ଏସସିବି ମେଡିକାଲ କଲେଜର ନବ ନିର୍ମାଣ କାମ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାସହ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ମଧ୍ୟ ଆଲୋଚନା ହୋଇଛି ।

ସିଲଭର ସିଟି କଟକ ହେଉଛି ହଜାର ବର୍ଷର ସହର। ଅନେକ ଐତିହାସିକ ସ୍ମୃତି ଏଠାରେ ସମାହିତ ହୋଇଛି। ତେଣୁ କଟକର ସମୁଚିତ ବିକାଶ ଆମ ସମସ୍ତଙ୍କ ମିଳିତ ଦାୟିତ୍ଵ। ଏହାର ରାସ୍ତାଘାଟର ପ୍ରଶସ୍ତିକରଣ, ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ କଟକ ସହରକୁ ଏକ ନୂଆ ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାନଦୀ ପଠାରେ ୪୨୪ ଏକର ଜମିରେ କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ହେବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜିକରଣ ଓ ପାର୍କିଂ ବ୍ୟବସ୍ଥା ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଏସସିବିରୁ ଉଚ୍ଛେଦ ପରେ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ। ଫେବୃଆରୀ ମାସ ଶେଷ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏହା ପରେ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାମ ଆରମ୍ଭ କରାଯିବ। କେବଳ ଏତିକି ନୁହେଁ, ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତା ୩ ଲେନ କରାଯିବା ସହ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ।
ବୁଧବାର ଭୋରରୁ କଟକ ସହର ଗସ୍ତ କରିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ। ଏସସିବି ଗସ୍ତ ପରେ ବିଶ୍ୱସ୍ତରୀୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏବଂ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସହରର ନବକଳେବର ପାଇଁ ବଡ଼ ଘୋଷଣା କରିଛନ୍ତି।
