ନାଲକୋ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର

ଓଡ଼ିଶାବଡ଼ ଖବରବ୍ୟବସାୟସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ (ନାଲକୋ) ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଭୁବନେଶ୍ୱର ସ୍ଥିତ ନାଲକୋ ନଗରଠାରେ ଆୟୋଜିତ ଭବ୍ୟ ସମାରୋହରେ କଳାକାର, ଅନୁଷ୍ଠାନ ଏବଂ ପ୍ରସିଦ୍ଧ ବିଶାରଦଙ୍କୁ ଓଡ଼ିଶୀ ନୃତ୍ୟ, ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ ଏବଂ ସଂସ୍କୃତ ଭାଷାର ପ୍ରଚାରପ୍ରସାର ଆଦି ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ପ୍ରଫେସର୍ ରଘୁନାଥ ପଣ୍ଡାଙ୍କୁ ନାଲକୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ଓ ଅବଦାନ ପାଇଁ ନୃତ୍ୟଗୁରୁ ବର୍ଗରେ ଭରତ ଚରଣ ଗିରି ଓ ରୂପଶ୍ରୀ ମହାପାତ୍ରଙ୍କୁ ନାଲକୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟଶିଳ୍ପୀ ବର୍ଗରେ ଗୌରୀଶଙ୍କର ଦାଶ ଓ ମଞ୍ଜୁଶ୍ରୀ ପଣ୍ଡାଙ୍କୁ ନାଲକୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଛି ।

ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ ପାଇଁ ଗଞ୍ଜାମ ଅର୍ଥୋପେଡିକାଲି ହାଣ୍ଡିକ୍ୟାପ୍ଡ ୱେଲ୍ଫେୟାର୍ ଆସୋସିଏସନସ୍ ନାଲକୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ, ଉଦବୋଧନ ଦେଇ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ସମସ୍ତ ବିଜେତାଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିବା ସହ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ନାଲକୋର ଭବିଷ୍ୟତ ପାଇଁ ଯୋଜନା ସମ୍ପର୍କରେ ବଖାଣି ଥିଲେ। ଶ୍ରୀ ପାତ୍ର କହିଥିଲେ ଯେ, ବିଗତ ୪ ଦଶନ୍ଧିରେ ନାଲକୋ ଅନେକ ମାଇଲଖୁଂଟ ଅତିକ୍ରମ କରିଛି । ଅନୁଷ୍ଠାନ ସହିତ ଆମର ସମ୍ପର୍କ ଓ ସାନ୍ନିଧ୍ୟର ପ୍ରତିଫଳନ ତଥା କମ୍ପାନୀକୁ ସଫଳତାର ନୂତନ ପଥରେ ଆଗେଇନେବା ପାଇଁ ଆମର ପ୍ରତିବଦ୍ଧତାର ନିଦର୍ଶନ ଭାବେ ଆମେ ପ୍ରତିଷ୍ଠା ଦିବସ ପାଳନ କରିଥାଉ ବୋଲି ସେ କହିଥିଲେ । ଏହି ଅବସରରେ, ସେ ନାଲକୋର ପ୍ରତିଷ୍ଠାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ନାଲକୋକୁ ଏକ ସଫଳ ଶିଳ୍ପାନୁଷ୍ଠାନ ଭାବେ ଗଢି ତୋଳିବା ପାଇଁ ନିରନ୍ତର କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ ବ୍ୟବସାୟିକ ଉତ୍କର୍ଷର ୪୦ତମ ବର୍ଷରେ ପାଦ ଥାପୁଥିବା ବେଳେ ନାଲକୋକୁ ସମୟ ଅନୁସାରେ ପରିବର୍ତ୍ତନକୁ ଆଖି ଆଗରେ ରଖି ନବୀନତା ଏବଂ ସୃଜନଶୀଳତା ଉପରେ ଗୁରୁତ୍ୱ ଆରୋପ କରିବାକୁ ପଡିବ ।