ନବନୀତା ବ୍ୟୁରୋ। ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ବଲାଙ୍ଗିର ସହର। ମାଦକ ଦ୍ରବ୍ୟ ବିକ୍ରି କମିବାର ନାଁ ନେଉନି, ବରଂ ବଢ଼ି ବଢି ଚାଲିଛି। କେବେ କେମିତି ନାମକୁ ମାତ୍ର ଚଢ଼ାଉ କରି ଢିଲା ମାରିଛି ପୋଲିସ। ପୋଲିସର ନାକ ତଳେ ଏହି କାରବାର ଚାଳୁଥିଲେ ବି ନିଶା ବେପାରୀଙ୍କ ଚେର ଉପାଡ଼ି ପାରୁନି।

କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ନରସିଂହ ମନ୍ଦିର ନିକଟ ଏକ ଦୋକାନରେ ଚଢ଼ାଉ କରିଥିଲା। କଫ ସିରଫ କାରବାର ଅଭିଯୋଗରେ ଦୋକାନୀ ସହ ତିନି ଜଣକୁ ଧରି ଥାନାକୁ ଆଣିଛି ପୋଲିସ। ଧରାପଡ଼ିଥିବା ତିନି ଜଣ ହେଲେ ସମୀର ରଞ୍ଜନ ନାଏକ, ପଙ୍କଜ ସାହୁ ଓ ଧରଣୀଧର ସାହୁ। ତାସହ ସେମାନଙ୍କ ପାଖରୁ ୧୪ ବଟଲ ଜବତ କରିଛି ଟାଉନ୍ ଥାନା ପୋଲିସ। ଏହାପୂର୍ବରୁ ଅନେକ ଥର ଗିରଫ ହୋଇ ଜେଲ ଯାଇ ସରିଛି ସମୀର ରଞ୍ଜନ ନାଏକ।

ତେବେ କଫ ଶିରଫ୍ ବେପାରୀ ବାରମ୍ବାର ଗିରଫ ହେଉଥିଲେ ବି କେମିତି ସହରରେ ନିଶା କାରବାରକୁ ନିୟନ୍ତ୍ରଣ କରି ପାରୁନି ପୋଲିସ। ଟାଉନ୍ ଥାନାର ଅତି ନିକଟରେ ନିଶା କାରବାର ଚାଲୁଥିଲେ ବି ପୋଲିସ ସୁରାକ ପାଉନି କେମିତି? ଚର୍ଚ୍ଚା ହେଉଛି ବେପାରୀ ଓ ପୋଲିସର ମିଲି ଭଗତରେ ଏହି କାରବାର ଚାଲିଥିବାରୁ ନିଶା ଦ୍ରବ୍ୟ ବିକ୍ରି ବନ୍ଦ ହେଉନି!
