ନବନୀତା ବ୍ୟୁରୋ। ବଲାଙ୍ଗିରରୁ ପୁଣି ଦାଦନ ଶ୍ରମିକ ଉଦ୍ଧାର। ରାଜ୍ୟ ବାହାରକୁ ଚାଲାଣ ବେଳେ ତୁରେକେଲା ରେଳ ଷ୍ଟେସନ ଠାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପୋଲିସ ଏମାନଙ୍କୁ ଗିରଫ କରିଛି। ତେବେ ଉଦ୍ଧାର ସମସ୍ତ ଦାଦନ ବେଲପଡା ଅଞ୍ଚଳର ବୋଲି ଜଣାପଡିଛି।
ଗତକାଲି ମଧ୍ୟ ୯ ଜଣ ଦାଦନକୁ ଉଦ୍ଧାର କରିଥିଲା ପୋଲିସ। କେବଳ ଏତିକି ନୁହେଁ, ଏହା ପୂର୍ବରୁ ଅନେକ ଥର ଶହ ସହ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି। ତେବେ ବାରମ୍ବାର ଜିଲ୍ଲାରେ ଦାଦନ ଚାଲାଣ ହେଉଥିବା ବେଳେ ପ୍ରଶାସନ ଏହାରି ଉପରେ ନିୟନ୍ତ୍ରଣ କରି ପାରୁନି। ଦାଦନ ଦଲାଲ୍, ସର୍ଦ୍ଦାର ଓ ଜିଲ୍ଲା ଶ୍ରମ ବିଭାଗର ସଲାସୁତୁରାରେ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏପରିକି ପଶ୍ଚିମ ଓଡ଼ିଶାରେ ଦାଦନ ଚାଲାଣ ଦିନକୁ ଦିନ ବଢି ଚାଲି ଥିଲେ ବି ବିଭାଗୀୟ ମନ୍ତ୍ରୀ ଏନେଇ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି।

ଦାଦନ ଚାଲାଣ ରୋକିବାକୁ ଅନେକ ସମୟରେ ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷରୁ ବହୁ ସଚେତନତା ମୂଳକ ପଦକ୍ଷେପ ନିଆଯାଉଛି। ମନରେଗା ଯୋଜନାରେ କାମ ବି ଯୋଗାଇ ଦିଆ ଯାଉଛି। ଏହା ସତ୍ତ୍ଵେ ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଏଥିରୁ ସ୍ପଷ୍ଟ ବାରି ହେଇ ପଡ଼ୁଛି ଯେ, ଦାଦନ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଛି। ଏତେ ପରିମାଣରେ ବେଆଇନ୍ ଚାଲାଣ ଦିଗରେ ନିୟନ୍ତ୍ରଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
