ଭୁବନେଶ୍ବର ଏନ୍ଏନ୍ ବ୍ୟୁରୋ I ଗାଁ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି I ଏଥିପାଇଁ ସରକାର କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି I ହେଲେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ଲୋକେ ତାର ଫାଇଦା ଉଠାଇ ପାରୁ ନାହାନ୍ତି I ଅନ୍ୟପଟେ ନିମ୍ନମାନର କାମ କରି ଠିକାଦାର ଓ ରାଜନେତା ମାଲେମାଲ ହେଉଛନ୍ତି I ରାସ୍ତା କାମ ଲୋକଙ୍କ ପାଇଁ ତ ନୁହେଁ, ବରଂ ଠିକାଦାରର ସ୍ୱାର୍ଥସାଧନ ପାଇଁ କାର୍ଯ୍ୟ କରଯାଉଛି I ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁତଳା ବ୍ଳକର କୁଲଥୀପାଲି ଗାଁରେ ସରକାରୀ ପାଣ୍ଠିର ଦୁରୂପଯୋଗ ସାମ୍ନାକୁ ଆସିଛି l ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି I
ଗାଁରେ କେବଳ ଦୁଇଟି ରାସ୍ତା ଉପରେ ଅଧିକ ଫୋକସ୍ କରାଯାଇଛି I କୁଲଥୀପାଲି ଗାଁରୁ ସୁକତେଲ ନଦୀ ରାସ୍ତାକୁ ଅଧା ଅଧା କରି ବାରମ୍ବାର ମରାମତି, ଉନ୍ନତିକରଣ କାର୍ଯ୍ୟ କରାଯାଇଛି I ଗତ 2023/24 ଆର୍ଥିକ ବର୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନାଏକଗୋଠରୁ କୁଲଥୀପାଲି ସୁକତେଲ ନଦୀ ରାସ୍ତା କଙ୍କ୍ରିଟ୍ କରାଯାଇଛି I 10 ଲକ୍ଷ ଟଙ୍କା ଅନୁଦାନ ରାଶିରେ ଗତ ମାର୍ଚ୍ଚ 12 ତାରିଖରେ କାର୍ଯ୍ୟ ଆରମ୍ଭ କରାଯାଇ ଏପ୍ରିଲ 24 ତାରିଖରେ ଶେଷ ହୋଇଥିବା ପ୍ରୋଜେକ୍ଟ ପିଲରରେ ଉଲ୍ଲେଖ ରହିଛି I ହେଲେ ରାସ୍ତା କାର୍ଯ୍ୟର 5 ମାସ ପରେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି I ଏଥିରୁ ବାରି ହୋଇ ପଡୁଛି ଯେ, ରାସ୍ତା କାମ କେତେ ମଜବୁତ କରାଯାଇଛି I
ପୁଣି ସେହି ବର୍ଷ 23/24 ରେ କୁଲଥୀପାଲି ଗାଁରୁ ସୁକତେଲ ନଦୀ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଇଛି I ବିଜୁ କେବିକେ ପାଣ୍ଠିରୁ 4 ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ରାସ୍ତାର ଉନ୍ନତିକରଣ କରାଯାଇଛି I କିନ୍ତୁ କାର୍ଯ୍ୟ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଛି ତାର କୌଣସି ବିବରଣୀ ଦିଆଯାଇନାହିଁ I ହେଲେ କାର୍ଯ୍ୟ ଅତି ନିମ୍ନମାନର ଯୋଗୁଁ ରାସ୍ତାରୁ ଗେଟି ଉପୁଡ଼ି ଶୋଚନୀୟ ହୋଇପଡ଼ିଛି I
କେବଳ ଏହି ରାସ୍ତା ନୁହେଁ, କୁଲଥୀପାଲି ଗାଁରୁ ଖରମୁଡା ରାସ୍ତା ମଧ୍ଯ ବାରମ୍ବାର ନିର୍ମାଣ କରାଯାଇଛି I କଙ୍କ୍ରିଟ୍ ରାସ୍ତା ଫାଟି ଯାଇଥିବା ବେଳେ ତାର ଆଗରୁ ନିର୍ମାଣ ହୋଇଥିବା ରାସ୍ତାକାମର ଅବସ୍ଥା ନକହିବା ଭଲ l ରାସ୍ତା ଉନ୍ନତିକରଣ ନାଁରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଅର୍ଥ ଆତ୍ମସାତ୍ କରିବା ପାଇଁ ସୁଯୋଗ ଦିଆଯାଉଛି I ବ୍ଲକର ଅନ୍ୟ ଗାଁରେ ଭଲ ରାସ୍ତାଟିଏ ନଥିବା ବେଳେ କୁଲଥୀପାଲି ଗାଁର ଏହି ଦୁଇ ରାସ୍ତାରେ ବିଭିନ୍ନ ଯୋଜନାରେ ବାରମ୍ବାର ଉନ୍ନତିକରଣ କାର୍ଯ୍ୟ କରାଯାଇଛି I ରାସ୍ତା ଉନ୍ନତିକରଣ ନାଁରେଠିକାଦାର ପୋଷା ଚାଲିଛି I
ଏଠି ପ୍ରଶ୍ନ ଉଠୁଛି, ରାସ୍ତାର ବାରମ୍ବାର ଉନ୍ନତିକରଣ ପାଇଁ କିଭଳି ଭାବେ କାର୍ଯ୍ୟ ମଞ୍ଜୁର କରୁଛନ୍ତି ବିଭାଗୀୟ ଅଧିକାରୀ l କରିତକର୍ମା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ପାଣ୍ଠି ହଡ଼ପ କରାଯାଉଛି I ହେଲେ ବ୍ଳକ ପ୍ରଶାସନ, ସ୍ଥାନୀୟ ନେତା, ବିଧାୟକ/ମନ୍ତ୍ରୀଙ୍କ ଏଥିପ୍ରତି ଦୃଷ୍ଟି ପଡୁନି I