ନବନୀତା ବ୍ୟୁରୋ I ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଆଟଗାଁରେ ଚାଞ୍ଚଲ୍ୟ I ଗୁଣିଗାରେଡ଼ିକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି I ମୃତ ଯୁବକ ଜଣକ ହେଲେ ଶ୍ୟାମ ବାଗ I ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ I ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି ଅବିଲାଶ ଜି I ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଗୁଣିଗାରେଡ଼ିକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା କହିଛନ୍ତି ଏସ୍ପି I ସେପଟେ ହତ୍ୟା ଘଟଣାକୁ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ବାଳଗୋପାଳ ରଣା I ତେବେ ଉଭୟ ପରିବାର ମଧ୍ୟରେ ପିଟାପିଟି ଘଟଣାରେ 4 ଜଣ ଆହତ ହୋଇଥିବା ଜଣାପଡିଛି I ଗୁରୁତର ଥିବା ଦୁଇ ଜଣ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି I
ପୋଲିସ ସୂଚନା ଅନୁସାରେ ମୃତ ଶ୍ୟାମଙ୍କ ଘରେ ଗୁଣିଗାରେଡ଼ି ଚାଲୁଥିବାରୁ ହତ୍ୟାକାରୀ ବାଳଗୋପାଳ ରଣାଙ୍କ ସହ ପରିବାର ଲୋକଙ୍କ ଦେହ ଠିକ୍ ରହୁନଥିଲା I ଏନେଇ ଉଭୟ ପରିବାର ମଧ୍ୟରେ ଗୋଟିଏ ବର୍ଷ ହେଲା ଝଗଡା ବି ଲାଗି ରହିଥିଲା I ହେଲେ ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଉଗ୍ରରୂପ ନେଇଥିଲା l ଏଥିରେ ଶ୍ୟାମଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି I ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି I ହତ୍ୟାକାରୀ ବାଳଗୋପାଳ ସହ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ I ତେବେ ଘଟଣାରେ ଯାହାର ସମ୍ପୃକ୍ତି ଆସିବ ସେମାନଙ୍କୁ ମଧ୍ଯ ଧରାଯିବ ବୋଲି ଏସ୍ପି କହିଛନ୍ତି I